ଡିଜିପି ଡିସ୍କ ଆୱାର୍ଡ ପାଇଁ ଯାଇଥିଲେ ଏସ.ଆଇ କିଶୋର, ପୁରସ୍କାର ଗ୍ରହଣ କରିବା

ରାୟଗଡ଼ା -: ଆଉ କିଛି ସମୟ ପରେ ପାଇଥାନ୍ତେ ଡିଜିପି ଡିସ୍କ ଆୱାର୍ଡ । ପୁରସ୍କୃତ କରିଥାନ୍ତେ ରାଜ୍ୟ ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ପୁରସ୍କାର କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ରିଜର୍ଭ ବାରାକରେ ଅସୁସ୍ଥ ହୋଇ ପଡ଼ିଲେ ଏଏସଆଇ କିଶୋର ଚନ୍ଦ୍ର ବେହେରା ।

Advertisement

ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବେହେରାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡିଜିପି ଆୱାର୍ଡ ପାଇଁ ମନୋନୀତ ପୁଲିସ ଅଧିକାରୀଙ୍କ ଅକାଳ ବିୟୋଗ ସମ୍ପର୍କିତ ଖବର ପୁଲିସ ବିଭାଗକୁ ସ୍ତବ୍ଧ କରି ଦେଇଥିଲା । ଖବର ପାଇ ଡିଜିପି ସୁନୀଲ ବଂଶଲ, ଭୁବନେଶ୍ୱର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ପୁଲିସ ଅଧିକାରୀ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Subscribe Now


ଗଞ୍ଜେଇ ଚୋର ଚାଲାଣ ରୋକିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ମାମଲା ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଏଏସଆଇ ବେହେରା । ଯେଉଁଥି ପାଇଁ ଚଳିତ ବର୍ଷ କିଶୋର ବେହେରା ଦୁଇଟି ଆୱାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସର୍କଲ ସହ ରାଜ୍ୟସ୍ତରୀୟ ଡିଜିପି ଡିସ୍କ ଆୱାର୍ଡ ପାଇଁ କିଶୋର ମନୋନୀତ ହୋଇଥିଲେ । ଯାହାକୁ ନେଇ ପରିବାର ଲୋକ, ସମ୍ପର୍କୀୟଙ୍କ ସମେତ ବିଭାଗୀୟ ଅଧିକାରୀ ଖୁସି ଅନୁଭବ କରିଥିଲେ ।

https://youtu.be/ypDXSjh84qk
Subscribe Now


୮୭ତମ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ପୁରସ୍କୃତ କରିବାକୁ ଥିବାରୁ ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ କିଶୋର । ବିଷମକଟକ ଏସଡିପିଓ ଆକାଶ ସାହୁଙ୍କ ସହ କିଶୋର ଭୁବନେଶ୍ୱର ଯାଇ ଅପରାହ୍ନରେ ପହଞ୍ଚିଥିଲେ । ରିଜର୍ଭ ପୁଲିସ ବାରାକରେ ରାତ୍ରି ଯାପନ ପରେ ସକାଳେ ଆୱାର୍ଡ ପ୍ରଦାନ ଉତ୍ସବକୁ ଯିବା ପାଇଁ ପ୍ରସ୍ତୁତ ହୋଇଥିଲେ କିଶୋର । ଗାଧୋଇବା ପାଇଁ ବାଥରୁମ ଯାଇଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ବାରାକରେ ଥିବା ଅନ୍ୟ ସହଯୋଗୀ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଗଞ୍ଜାମ ଜିଲ୍ଲାର ଆସିକାକୁ ପଠାଇ ଦିଆଯାଇଛି ।

ପରିବାର ଲୋକ ଖବର ପାଇ ଭାଙ୍ଗି ପଡିବା ସହ କିଶୋରଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନାହାନ୍ତି । ରାୟଗଡ଼ା ଜିଲ୍ଲା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଡ଼ିରେ କିଶୋରଙ୍କ ସ୍ତ୍ରୀ, ପୁଅକୁ ଆସିକା ପଠାଯାଇଛି । ଜଣେ ଦକ୍ଷ ଅଫିସର ଭାବେ ବିଭାଗରେ ନାମ କମାଇଥିବା କିଶୋରଙ୍କ ବିୟୋଗରେ ଡିଆଇଜି ରାଜେଶ ପଣ୍ଡିତ, ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା, ଜିଲ୍ଲାପାଳ ସରୋଜ ମିଶ୍ର ପ୍ରମୁଖ ବହୁ ଅଧିକାରୀ ଶୋକବ୍ୟକ୍ତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *