ବିବାହିତ ମହିଳାକୁ ଯୌନ ପିପାସୁଙ୍କୁ ଦେଢଲକ୍ଷ ଟଙ୍କାରେ ବିକିଦେଲେ ଦଲାଲ …

ଝାରସୁଗୁଡ଼ା -: ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଏଥି ସହିତ ପୁଲିସ ପିଡ଼ୀତାଙ୍କୁ ଉଦ୍ଧାର କରିଛି । ଏ ନେଇ ଆଜି ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ାର କ୍ରିଷ୍ଣ କୁମାର(୨୩) ନାମକ ଜଣେ ଯୁବକ ସମ୍ବଲପୁର ସାକ୍ଷୀପଡ଼ାର ଇକମତ ଅଲ୍ଲି ଖାଁଙ୍କ ଝିଅ ମୁସକାନ(୨୦)ଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ପୁରୁଣାବସ୍ତି ଠାରେ ଏକ ଭଡ଼ାଘରେ ରହୁଥିଲେ ।

Advertisement

କିଛି ଦିନପରେ ମୁସ୍‌କାନଙ୍କ ମୁଖ୍ୟ ଚିକତ୍ସାଳୟରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଜନ୍ମର କିଛି ଘଣ୍ଟାପରେ କନ୍ୟା ସନ୍ତାନର ମୃତ୍ୟୁ ଘଟିଥିଲା । ଏହାପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ହେବାରୁ ମୁସ୍‌କାନ ଘରୁ ଚାଲିଯାଇ ଝାରସୁଗୁଡ଼ା ଭୁଲିଆଟିକ୍ରାରେ କିରଣ ସେଠୀଙ୍କ ଘରେ ଯାଇ ରହୁଥିଲେ । କିଛି ଦିନ ପରେ କ୍ରିଷ୍ଣ କୁମାର କିରଣ ସେଠୀଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ମୁସ୍‌କାନଙ୍କୁ ଖୋଜିଥିଲେ । ସେଠାରେ କିରଣ ମୁସକାନ କୁଆଡ଼େ ଚାଲି ଯାଇଥିବା ନେଇ କହିଥିଲେ । ଗତ ୪ ତାରିଖ ଦିନ ମୁସକାନ୍ ତାର ଜଣେ ବନ୍ଧୁ ଅସରଫଙ୍କୁ ଫୋନ୍‌ରେ ଜଣାଇଥିଲା ଯେ, କିରଣ ସେଠୀ, ହୃଷୀକେଶ ସେଠୀ ଓ ବ୍ରଜରାଜନଗରର ଦନିଶ ବେହେରା ତାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଛନ୍ତି ।

ରାଜସ୍ଥାନର ଏହି ବ୍ୟକ୍ତି ତାଙ୍କ ପୁତ୍ର ସହିତ ବଳପୂର୍ବକ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ଓ ନକଲେ ଜୀବନରେ ମାରି ଦେବାକୁ ଧମକ ଦେଉଥିବା ସୂଚନା ଦେଇଥିଲେ । ଏହି ସୂଚନା ପାଇବା ପରେ କ୍ରିଷ୍ଣ କୁମାର ଗତ ୭ ତାରିଖ ଦିନ ଝାରସୁଗୁଡ଼ା ଟାଉନଥାନାରେ ଏତଲା ଦେଇଥିଲେ । ପୁଲିସ ଏତଲା ଗ୍ରହଣ କରିବା ପରେ ୯ ତାରିଖ ଦିନ କିରଣ, ହୃଷୀକେଶ ଓ ଦନିଶକୁ ଗିରଫ କରି ତାଙ୍କ ନାମରେ ୩୭୦, ୫୦୬ ଓ ୧୨୦ ବି ଦଫା ରୁଜୁ କରି କୋର୍ଟ ଚାଲାଣ କରିଥିଲେ । ଝାରସୁଗୁଡ଼ା ଥାନା ଅଧିକାରୀ ସାବିତ୍ରୀ ବଳଙ୍କ ନେତୃତ୍ୱରେ ଏକ ଟିମ୍ ରାଜସ୍ଥାନର ନିମୁଚ ଜିଲ୍ଲାର ରମପୁରା ଗ୍ରାମରୁ ପୀଡ଼ିତା ମୁସ୍‌କାନକୁ ଉଦ୍ଧାର କରିଥିବା ବେଳେ ସେଠାରୁ ମହିଳାଙ୍କୁ ବିବାହ କରିଥିବା ମନୋଜ ପ୍ରଜାପତି(୨୮) ଓ ମହିଳାଙ୍କୁ ବିକ୍ରି କରିଥିବା ଦଲାଲ ସୁପ୍ରିୟା ଓରଫ ରଜନୀ ବାଇକୁ ପୁଲିସ ଗିରଫ କରି ଝାରସୁଗୁଡ଼ା ଟ୍ରାନଜିଟ ରିମାଣ୍ଡରେ ଆଣିଥିବା ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!