ପିଟିପିଟି ମାରିଦେଲା ପୋଲିସ , ରାଜଧାନୀ ଭୁବନେଶ୍ୱରେ ହାଜତ ମୃତ୍ୟୁ

ଭୁବନେଶ୍ୱର -: ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ । ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଥିବା ବେଳେ ଜଣେ ସନ୍ଦିଗ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ, ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁର ଅଞ୍ଚଳର ପ୍ରଦୀପ କୁମାର ସାହୁ(୪୮) । ଏହି ଘଟଣା ପୁଲିସକୁ ଅଡ଼ୁଆରେ ପକାଇଛି । ପ୍ରଦୀପଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏ ସଂକ୍ରାନ୍ତରେ ବଡ଼ଗଡ଼ ଥାନା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅପରପକ୍ଷେ, ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍ସି)ଙ୍କ ନିୟମ ଅନୁସାରେ, ହାଜତ ମୃତ୍ୟୁର ସମସ୍ତ ନିୟମକୁ ପାଳନ କରାଯାଇଛି । ଏକାଧିକ ଡାକ୍ତର(ଟିମ୍ ଅଫ୍ ଡକ୍ଟର) ଶବ ବ୍ୟବଚ୍ଛେଦ କରିବା ସହ ଏହାର ଭିଡିଓ ରେକର୍ଡିଂ କରାଯାଇଛି । ସିଆର୍ପିସି ଧାରା-୧୭୬(୧)(ଏ) ଅନୁସାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଲେଖା ଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ପ୍ରଦୀପ ସୁନ୍ଦରପଦା ହରିଆ ଛକରେ ରୁହନ୍ତି । ତାଙ୍କ ନାମରେ ପୂର୍ବରୁ ଲକ୍ଷ୍ମୀସାଗର, ବଡ଼ଗଡ଼, ମଞ୍ଚେଶ୍ୱର ଓ ବାଦାମବାଡ଼ି ଥାନାରେ ମାମଲା ରହିଛି ।

Advertisement

ସେହିପରି ବଡ଼ଗଡ଼ ଥାନାରେ ଏକ ସାଇକେଲ ଚୋରି ଅଭିଯୋଗ ରହିଥିଲା । ପ୍ରଦୀପ ଉପରେ ପୁଲିସର ସନ୍ଦେହ ହୋଇଥିଲା । ଗତକାଲି ସନ୍ଧ୍ୟାରେ ବ୍ରହ୍ମେଶ୍ୱରପାଟଣା ଅଞ୍ଚଳରେ ପ୍ରଦୀପ ସାଇକେଲରେ ଯାଉଥିବା ବେଳେ ପୁଲିସ ଉଠାଇ ଆଣିଥିଲା । କିନ୍ତୁ ପୁଲିସ ହେପାଜତରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିଲା । କେଉଁ ପରିସ୍ଥିତିରେ ପ୍ରଦୀପଙ୍କର ମୃତ୍ୟୁ ଘଟିଲା, ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ । ପାରିପାର୍ଶ୍ୱିକ ସ୍ଥିତି ଭିନ୍ନ କଥା କହୁଛି । ତାଙ୍କ ମୁଣ୍ଡରେ ମାଡ଼ ଚିହ୍ନ, ବାମ ହାତ କଚଟି ଫୁଲିଯିବା ଏବଂ ଶରୀର କେତେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଲିସ ଟିମ୍ ଧରିବାକୁ ଯିବା ସମୟରେ ସାଇକେଲ୍‌ରୁ ପଡ଼ିଯିବାରୁ ଖଣ୍ଡିଆ ଖାବରା ହୋଇଥିବା କଥାକୁ ପରିବାରଲୋକ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!