ସ୍କୁଲବସକୁ ୪୦ହଜାର ଜୋରମାନା, ଇଏ କେମିତିକା ବସ ଜାଣିଲେ ଅଭିଭାବକଙ୍କ ହୋସ ଉଡିଯିବ …

ଭୁବନେଶ୍ୱର -: ଦୁଇଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଅଧା ବାଟରେ ଅଟକାଉଛନ୍ତି । ଡ୍ରାଇଭରଙ୍କଠାରୁ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଛନ୍ତି । ଯେଉଁ ଗାଡ଼ିଗୁଡ଼ିକର କାଗଜପତ୍ର ଠିକ୍ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ହେଉଛି । ମୋଟା ଅଙ୍କର ଜରିମାନା ବି କରାଯାଉଛି । ଦୁଇ ଦିନ ମଧ୍ୟରେ ରାଜ୍ୟରେ ୫୮୫ ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ କେତେକ ସ୍ଥାନରେ ଗାଡ଼ି ସିଜ୍ ହୋଇଛି ।

Advertisement

ବିପଦସଙ୍କୁଳ ଭାବେ ପିଲାଙ୍କ ପରିବହନ କରୁଥିବା ଏହି ଗାଡ଼ିଗୁଡ଼ିକ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲେ ମଧ୍ୟ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପିଲାଙ୍କୁ ଖରାରେ ଛିଡ଼ା କରାଯାଇ ଗାଡ଼ିଗୁଡ଼ିକର ସାର୍ଟିଫିକେଟ୍ ଯାଞ୍ଚ କେତେଦୂର ଯୁକ୍ତିଯୁକ୍ତ ସେନେଇ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି ଯେ ରାସ୍ତା ଉପରେ ଗାଡ଼ି ଅଟକାଇ ଯାଞ୍ଚ ହେଉଥିବାରୁ ବିନା ଏସିରେ ଗାଡ଼ି ଭିତରେ ୪୦ ଡିଗ୍ରି ଖରାରେ ପିଲା ସିଝୁଛନ୍ତି ।

କେହି କେହି ପିଲା ଧୈର୍ଯ୍ୟ ହରାଇ ଅଧା ବାଟରୁ ଅନ୍ୟ ଗାଡ଼ି ଧରି ପଳାଇ ଯାଉଛନ୍ତି । ଏ ତ ଗଲା ସ୍କୁଲରୁ ଫେରିବା ସମୟରେ କଥା । ଗାଡ଼ିଗୁଡ଼ିକ ଯେଉଁ ସମୟରେ ପିଲାଙ୍କୁ ସ୍କୁଲ ନେଇ ଯାଉଛି ସେତେବେଳେ ବି ରାସ୍ତା ଯାଞ୍ଚ କରାଯାଉଛି । ଏହାଦ୍ୱାରା ପିଲାଙ୍କ କ୍ଲାସ ବିଳମ୍ବ ହେଉଥିବା ନେଇ ଅଭିଯୋଗ ହେଉଛି । ପାଠପଢ଼ା ପ୍ରଭାବିତ ହେଉଛି । କେବଳ ସେତିକି ନୁହେଁ ଯାଞ୍ଚ ଭୟରେ କେତେକ ଗାଡ଼ି ଚାଳକ ବିପଦସଙ୍କୁଳ ରାସ୍ତାରେ ପିଲାଙ୍କୁ ନେଇ ଯାଉଥିବାର ନଜର ଆସିଛି ।

ବିଳମ୍ବ ହେଉଛି କ୍ଲାସ, ଅଭିଭାବକ ଅସନ୍ତୁଷ୍ଟ

ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ହସ୍ତକ୍ଷେପ

ସ୍କୁଲ କର୍ତୃପକ୍ଷ ଓ ପରିବହନ କମିସନରଙ୍କୁ ନୋଟିସ୍‌ ହେବ


ମୁଖ୍ୟରାସ୍ତାରେ ଆରଟିଓ ପକ୍ଷରୁ କଡ଼ାକଡ଼ି ଯାଞ୍ଚ ହେଉଥିବାରୁ ଅଟୋ, ଭ୍ୟାନ୍‌ଗୁଡ଼ିକୁ ଗଳି ରାସ୍ତା ଭିତରେ ପୂରାଇ ଚାଳକମାନେ ନେଉଛନ୍ତି । ଯଦି କୈାଣସି ପ୍ରକାର ଅଘଟଣ ଘଟିବ ସେଥିପାଇଁ କିଏ ଦାୟୀ ରହିବ? ଏକ ଘରୋଇ ସ୍କୁଲ କର୍ତୃପକ୍ଷଙ୍କ କହିବା କଥା ହେଉଛି ଅନେକ ସ୍କୁଲର ନିଜସ୍ୱ ବସ୍ କିମ୍ବା ଅନ୍ୟ ଗାଡ଼ି ସେବା ନାହିଁ । ସେମାନେ ଭଡ଼ାରେ ଆଣି ପିଲାଙ୍କ ପରିବହନ କରୁଛନ୍ତି । କରୋନା ଯୋଗୁଁ କେତେଜଣ ଗାଡ଼ି ମାଲିକ କାଗଜପତ୍ର ଠିକ୍ କରିପାରି ନାହାନ୍ତି । ହଠାତ୍ ସ୍କୁଲ ଖୋଲିବା ହେତୁ ଆମେ ବି ସେମାନଙ୍କ କାଗଜପତ୍ର ଯାଞ୍ଚ ନକରି ପିଲାଙ୍କ ପରିବହନ ଲାଗି ଅନୁମତି ଦେଇଛୁ । ଆରଟିଓମାନେ ସ୍କୁଲକୁ ଆସି ଗାଡ଼ିଗୁ୍‌ଡ଼ିକ ଯାଞ୍ଚ କଲେ ଭଲ । ରାସ୍ତାରେ ପିଲାଙ୍କୁ ଅଟକାଇ ଏଭଳି ଯାଞ୍ଚ କରିବା ଆଦୈା ଠିକ୍ ହେଉ ନାହିଁ ।

ଶିକ୍ଷାବିତ୍ ଦେବାଶିଷ ରଣା କହିଛନ୍ତି ଯେ ପିଲାଙ୍କୁ ଘରେ ଛାଡ଼ି ଫେରୁଥିବା ସମୟରେ ସ୍କୁଲ ଗାଡ଼ିର ଯାଞ୍ଚ କରାଗଲେ କୈାଣସି ଅସୁବିଧା ହେବନି । ମାତ୍ର ପିଲାଙ୍କୁ ଅଧା ବାଟରେ ଅଟକାଇ ଏଭଳି ଅତର୍କିତ ଭାବେ ଯାଞ୍ଚ କରିବା ଆଦୈା ଉଚିତ୍ ନୁହେଁ । ଏହା ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ କରୁଛି । ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ପିଲାଙ୍କ ଜୀବନ ସହ ନ ଖେଳୁ । ନ ହେଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ । ଅନ୍ୟପକ୍ଷରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ଏଭଳି ଯାଞ୍ଚକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ସ୍କୁଲ ପିଲାଙ୍କ ପରିବହନ ଲାଗି ସ୍ୱତନ୍ତ୍ର ନିର୍ଦେଶାବଳୀ ରହିଛି । ବସ୍‌ରେ ପିଲା ଥିବା ସମୟରେ ସେମାନଙ୍କୁ ବାଟରେ ଅଟକାଇ ଯାଞ୍ଚ କରିବା ଠିକ୍ ହୋଇ ନାହିଁ । ଏନେଇ ସ୍କୁଲ କର୍ତୃପକ୍ଷ ଓ ପରିବହନ କମିସନରଙ୍କୁ ନୋଟିସ୍ କରିବି । ଭୁବନେଶ୍ୱର ଆରଟିଓ-୨ ବି ଏନ୍ ଅଧିକାରୀ କହିଛନ୍ତି ଯେ ପିଲାଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ । ସେଥିରେ ଆମେ କୈାଣସି ପ୍ରକାର ସାଲିସ କରିପାରିବୁ ନାହିଁ । ବର୍ତମାନ ସମୟରେ ଆମମାନଙ୍କୁ ଟିକେ କଷ୍ଟ କରିବାକୁ ପଡ଼ିବ ।

ଭୁବନେଶ୍ବରରେ ୭୮ଟି ଗାଡ଼ିକୁ ଜରିମାନା


ଭୁବନେଶ୍ୱରରେ ସବୁଠାରୁ ଅଧିକ ଘରୋଇ ସ୍କୁଲ ରହିଛି । ତେଣୁ ଏଠାରୁ ଜରିମାନା ମଧ୍ୟ ଅଧିକ କଟାଯାଉଥିବା ଜଣାପଡ଼ିଛି । ଆଜି ରାଜ୍ୟରେ ମୋଟ ୩୫୦ଟି ଚାଲାଣ କଟାଯାଇଛି । ସେଥିମଧ୍ୟରୁ କେବଳ ଭୁବନେଶ୍ୱରର ଦୁଇଟି ଆରଟିଓ ଅଧୀନରେ ୫୬ଟି ଚାଲାଣ କଟିଛି । ଭୁବନେଶ୍ୱର-୧ ଆରଟିଓ ଅଧୀନରେ ରାଜ୍ୟରେ ସର୍ବାଧିକ ୩୦ଟି ଚାଲାଣ କଟାଯାଇଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିମଧ୍ୟରେ ୧୩ଟି ବସ୍‌, ୧୫ଟି ଟାଟା ମେଜିକ୍‌/ଭ୍ୟାନ୍ ଓ ୨ଟି ଅଟୋ ରହିଥିବା ଜଣାପଡ଼ିଛି ।

ବୈଧ ଫିଟ୍‌ନେସ୍ ସିର୍ଟିଫିକେଟ୍ ନ ଥିବାରୁ ୨୬ଟି, ପରିମିଟ୍ ନ ଥିବାରୁ ୫, ଇନ୍ସ୍ୟୁରାନ୍ସ ନ ଥିବାରୁ ୨୦, ପିୟୁସି ସାର୍ଟିଫିକେଟ୍ ନ ଥିବାରୁ ୭, ଟ୍ୟାକ୍ସ ଦେଇ ନ ଥିବାରୁ ୭ ଓ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ନ ଥିବାରୁ ୩ ଜଣ ଡ୍ରାଇଭରଙ୍କୁ ଜରିମାନା କରାଯାଇଛି । ଭୁବନେଶ୍ୱର ଆରଟିଓ-୨ ଅଧୀନରେ ୨୬ଟି ଚାଲାଣ କଟିଛି । ସେଥିରେ ୧୩ଟି ବସ୍‌, ୪ଟି ଟାଟା ମେଜିକ୍‌/ଭ୍ୟାନ୍ ଓ ୯ଟି ଅଟୋ ରହିଛି । ବୈଧ ଫିଟ୍‌ନେସ୍ ସିର୍ଟିଫିକେଟ୍ ନ ଥିବାରୁ ୨୦, ପରିମିଟ୍ ନ ଥିବାରୁ ୫, ଇନ୍ସ୍ୟୁରାନ୍ସ ନ ଥିବାରୁ ୧୦, ପିୟୁସି ସାର୍ଟିଫିକେଟ୍ ନ ଥିବାରୁ ୬, ଟ୍ୟାକ୍ସ ଦେଇ ନ ଥିବାରୁ ୮ ଓ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ନ ଥିବାରୁ ୬ ଜଣ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଗୋଟିଏ ସ୍କୁଲ ବସ୍‌କୁ ୨ ଲକ୍ଷ ୩୩ ହଜାର ଟଙ୍କାର ଜରିମାନା ହୋଇଛି, ଯାହାକି ଆଜିର ଦିନରେ ରାଜ୍ୟରେ ସର୍ବାଧିକ । ଜୟଦେବ ବିହାରର ଟ୍ରାଇଡେଣ୍ଟ ହୋଟେଲ ନିକଟରେ ଏକ କୋଚିଂ ସେଣ୍ଟର ଭ୍ୟାନ୍‌କୁ ପାଖାପାଖି ୪୦ ହଜାର ଟଙ୍କା ଜରିମାନା ହୋଇଥିବା ଜଣାପଡ଼ିଛି । ଗତକାଲି ଭୁବନେଶ୍ୱର ଆରଟିଓ-୨ରେ ୧୮ଟି ଓ ଆରଟିଓ-୧ରେ ୪ଟି ଗାଡ଼ିକୁ ଜରିମାନା ହୋଇଥିଲା । ଯେଉଁଥିରେ ୧୫ଟି ବସ୍ ଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!