ବରଗଡରେ ଜୋରଧରିଲା ଚାଷୀ ଆନ୍ଦୋଳନ, ଅରୁଆ ଉଷୁନା ବିବାଦରେ ଚାଷୀ ହନ୍ତସନ୍ତ

Creat A Revolution


ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ରବି ଧାନ ବିକିବାକୁ ଚାଷୀ ସଜବାଜ ହେଉଛି । ହେଲେ ଧାନ କିଣା ପୂର୍ବରୁ ପ୍ରଚଣ୍ଡ ଖରାରେ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛି । ୪୨ ଡିଗ୍ରି ଖରାରେ ଲୋକଙ୍କ ଘରୁ ବାହାରିବାକୁ ସରକାର ବାରଣ କରୁଛନ୍ତି । ଅଥଚ ଚାଷୀ ସରକାର ବିରୋଧରେ ନିଜ ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଉଛି ।

Advertisement

ଜୟ କିସାନ ଆନ୍ଦୋଳନ ପକ୍ଷରୁ ପୂର୍ବ ଘୋଷଣା ଅନୁଯାୟୀ ବିଭିନ୍ନ ଦାବି ନେଇ ମଂଗଳବାର ଜିଲ୍ଲାପାଳ ଅଫିସ୍ ଘେରାଉ କରିଛନ୍ତି । ଖରା ପାଇଁ ରାସ୍ତା ଶୂନ୍‌ଶାନ୍ ରହୁଥିବାବେଳେ ଚାଷୀଙ୍କ ତାତି ପୁଣି ଚରମସୀମାରେ ପହଂଚିଛି । ପ୍ରତିବାଦ ସଭାରେ ସମାବେଶରେ ଚାଷୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏମ୍‌ଏସ୍‌ପି ମୂଲ୍ୟ ନେଇ ତୀବ୍ର ଭର୍ତ୍ସନା କରିଛନ୍ତି । ଉଭୟ ସରକାର ଉଷୁନା-ଅରୁଆ ବିବାଦ ଉଠାଇ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରସଂଗକୁ ଏଡ଼ାଇବାକୁ ଚେଷ୍ଟା କରିଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

୨୦୧୭ ମସିହାରେ ଧାନର କ୍ୱିଣ୍ଟାଲ ପିଛା ଦର ସ୍ୱାମୀନାଥନ କମିସନ୍‌ର ସୁପାରିସ ଆଧାରରେ ୨୯୩୦ ଟଙ୍କା ପାଇଁ ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ପରିତ ହୋଇଥିଲା । କିନ୍ତୁ ତାହା ବର୍ତମାନ ଯାଏ ଲାଗୁ କରିବା ବଦଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଉପରେ ଦୋଷାରୋପ କରି ମୂଳ ପ୍ରସଂଗକୁ ପାଣିଚିଆ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି । ଏନେଇ ଆଗକୁ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଅତିକମ୍‌ରେ ୨୫୦ ଟଙ୍କା ବୋନସ୍ ଘୋଷଣା, ଟୋକନ୍ ଅବଧିକୁ ସୀମିତ ରଖାନଯାଇ ଧାନ ବିକ୍ରି ସରିବା ଯାଏଁ ବୈଧ, ଚାଷୀଙ୍କ ବକେୟା ବିଜୁଳି ବିଲ୍ ଥରୁଟିଏ ସଂପୂର୍ଣ୍ଣ ଛାଡ୍ ଏବଂ ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ସପକ୍ଷରେ ରାଜ୍ୟ ସରକାର ବିଧାନସଭାରେ ବିଧିବଦ୍ଧ ପ୍ରସ୍ତାବ ଆଗତ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି । ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଂଗରାଜ, ସୁଶୀଲ ସାହୁ, ହର ବଣିଆ, ରମେଶ ମହାପାତ୍ରଙ୍କ ସମେତ ଶତାଧିକ ଚାଷୀ ବିକ୍ଷୋଭରେ ସାମିଲ ଥିଲେ ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights