ପଶ୍ଚିମ ଓଡ଼ିଶା ବିକାଶ ପାଇଁ ସମର୍ପିତ କୋଶଳ ସଂଗ୍ରାମୀ ଦିବସ ସାହୁଙ୍କ ପବିତ୍ର ଜନ୍ମଦିନ ଅବସରରେ……

ନିରଞ୍ଜନ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ (ବରଗଡ଼)

Advertisement


ଆପଣମାନେ ଅନେକ ସଂଗ୍ରାମୀ ମାନଙ୍କ ବିଷୟରେ ଶୁଣିଥିବେ ଯେଉଁମାନେ ବିଭିନ୍ନ ସମୟରେ ସଂଗ୍ରାମ କରି ସମାଜ ସହିତ ମାଁ ମାଟିର ଉନ୍ନତି ସାଧନ କରିଥାନ୍ତି । ସେହିଭଳି ଜଣେ ନିଆରା ସଂଗ୍ରାମୀ ଙ୍କ ଆଜି ହେଉଛି ଜନ୍ମଦିନ ଯିଏ ନିଜ ମାଟି ପାଇଁ ଲଢେ଼ଇ କରି ତାହାର ବିକାଶ ନିମନ୍ତେ ସଦାସର୍ବଦା ତତ୍ପର ଥାନ୍ତି । ବୃତ୍ତିରେ ଜଣେ ସରକାରୀ କର୍ମଚାରୀ ହୋଇମଧ୍ୟ ସତମାର୍ଗରେ ଯାଇ କୌଣସି ବାଧାବିଘ୍ନକୁ ଖାତିର ନ କରି ମାଁ ମାଟି ପାଇଁ ଲଢେ଼ଇ ଜାରି ରଖିଛନ୍ତି । କିଛି ବର୍ଷ ମଧ୍ୟରେ ନିଜ ମାଟି ମାଁ ଅବହେଳିତ “ପଶ୍ଚିମ ଓଡିଶା” ବା କୋଶଳାଞ୍ଚଳର ବିକାଶ ନିମନ୍ତେ ହକର ଲଢେ଼ଇ କରି ସଫଳତା ହାସିଲ କରିଛନ୍ତି । ସେହି ସଂଗ୍ରାମୀ ଙ୍କ ନାମ ହେଉଛି ଦିବସ କୁମାର ସାହୁ

ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ତାଙ୍କର ଘର । ଘରେ ତାଙ୍କର ବାପା ,ମାଁ, ସାନଭାଇ ଓ ସାନଭଉଣୀ ଅଛନ୍ତି ।ବାପାଙ୍କ ନାମ ଗୋପବନ୍ଧୁ ସାହୁ, ମାତା ତାରାବତୀ ସାହୁ ,ସାନ ଭଉଣୀ ମାମି ସାହୁ ଏବଂ ସାନଭାଇ ଆକାଶ କୁମାର ସାହୁ ।ତାଙ୍କ ବାପା ବୃତ୍ତିରେ ଜଣେ କ୍ଷୁଦ୍ର ଚାଷୀ ଏବଂ ମାତା ଗୃହିଣୀ ଅଟନ୍ତି ।ପିଲାବେଳୁ ଅନେକ ଦୁଃଖ କଷ୍ଟରେ ବଢିଥିବାରୁ ସେ ସମସ୍ତଙ୍କ ଦୁଃଖ କଷ୍ଟ ବୁଝିପାରନ୍ତି l ଶିକ୍ଷକତା କରିବା ପୂର୍ବରୁ ସେ ନିଜ ଗାଁର ଶ୍ରମିକ ମାନଙ୍କୁ ମାର୍ଗଦର୍ଶନ କରିବାକୁ ଯାଇ ନିଜେ ମଧ୍ୟ ମନରେଗା ଯୋଜନାରେ କାମ କରିବାକୁ ଯାଇଥିଲେ ଏବଂ ଶ୍ରମିକ ମାନେ କିଭଳି ଭାବେ ନିଜେ ସରକାରୀ ନିୟମ ଅନୁଯାୟୀ ଉପଯୁକ୍ତ ଫର୍ମ ମାଧ୍ୟମରେ କାମ ମାଗି ଠିକ ସମୟରେ ପାଉଣା ପାଇବେ ସେ ନେଇ ସଚେତନ କରିଥିଲେ ।ସେ ସମୟରେ ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ମଧ୍ୟ କରାଯାଇଥିଲା ।
୨୦୧୩ ମସିହାରୁ ସେ ପ୍ରତ୍ୟକ୍ଷ ଭାବେ କୋଶଳ ଆନ୍ଦୋଳନ ସହିତ ଜଡ଼ିତ ଥିଲେ ଅବହେଳିତ ପଶ୍ଚିମ ଓଡ଼ିଶାର ବିକାଶ କରିବାରେ ଜଣେ ଗୁଣ୍ଡୁଚି ମୂଷା ସଦୃଶ କାମ କରିବା ପାଇଁ କୋଶଳ ଆନ୍ଦୋଳନର ବିଭିନ୍ନ ସଭାକୁ ଯାଇ ସଂଗ୍ରାମୀ ମାନଙ୍କ ସହ ଆଲୋଚନା କରୁଥିଲେ ।ତାଙ୍କ ନେତୃତ୍ୱରେ ୨୦୧୪ ମସିହାରେ ପୁଞ୍ଜିପଥର ଛକ ଠାରେ “କୋଶଳ ମହାବନ୍ଦ” ପାଳନ ହୋଇଥିଲା ।୨୦୧୫ ମସିହାରେ ନିଜ ବନ୍ଧୁମାନଙ୍କ ସହ ମିଶି ସାଇକେଲ ଏବଂ ବାଇକ ରେଲି କରି ଲୋକଙ୍କୁ କୋଶଳ ଆନ୍ଦୋଳନ ବିଷୟରେ ବାର୍ତ୍ତା ଦେବା ସହ କୋଶଳ ରାଜ୍ୟ କାହିଁକି ଆବଶ୍ୟକ ସେ ସମ୍ପର୍କରେ ବୁଝେଇ କୋଶଳ ମହାବନ୍ଦରେ ସାମିଲ ହେବା ପାଇଁ ସଭା କରିଥିଲେ ।

ଇତିମଧ୍ୟରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ବିଭିନ୍ନ ଅନୁଭୂତି ପାଇଲେ ଏବଂ ନିଜ ସଂଗ୍ରାମକୁ ନୂତନ ରୂପରେଖ ପ୍ରଦାନ କରିଥିଲେ ।୨୦୧୮ ମସିହାରେ ବରଗଡ଼ ଜିଲ୍ଲାରେ କ୍ୟାନ୍ସର ଡାକ୍ତରଖାନା ପ୍ରତିଷ୍ଠା ପାଇଁ ପଦ୍ମପୁର ଠାରେ ଉପଖଣ୍ଡ ସ୍ତରୀୟ ଆନ୍ଦୋଳନରେ ଯୋଗ ଦେବା ପାଇଁ ଯାଇ କିଛି ନୁତନ ବନ୍ଧୁଙ୍କ ସହ ଭେଟ ହୋଇ ଆଶିଷ ନାଥ ଏବଂ ଅନିଲ କୁମାର ଦୋରାଙ୍କ ଠାରୁ ଅନେକ ପ୍ରେରଣା ପାଇଲେ ଯାହାକି ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିଶେଷ ପ୍ରଭାବ ପକେଇଲା ।ସେ ସାମାଜିକ ଗଣମାଧ୍ୟମ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ବ୍ୟବହାର କରି ଅଞ୍ଚଳର ବିକାଶ କରିବା ନିମନ୍ତେ ଅଣ୍ଟା ଭିଡ଼ିଲେ ।ଏହାର ପ୍ରୟୋଗ କରିବା ପାଇଁ ପ୍ରଥମେ ନିଜ ଗାଁକୁ ସେ ବାଛିଥିଲେ ନିଜ ଗାଁର ଉନ୍ନତି କରିବା ତଥା ଦୁର୍ନୀତିକୁ ହଟେଇବା ପାଇଁ ଆରମ୍ଭ ହେଲା ତାଙ୍କ ମିଶନ । ତାଙ୍କ ମତରେ ଦୁର୍ନୀତି ଏବଂ ଉନ୍ନତି ପରସ୍ପର ବିପରୀତ ଶବ୍ଦ ଦୁର୍ନୀତି ହେଉଥିବା ଯାଏଁ କୌଣସି ଅଞ୍ଚଳର ଉନ୍ନତି ହେବା ଅସମ୍ଭବ ତେଣୁ ସେ ସବୁବେଳେ ଦୁର୍ନୀତିକୁ ଘୃଣା କରିବା ସହ ଲୋକମାନଙ୍କୁ ଦୁର୍ନୀତିକୁ ବିରୋଧ କରିବା ପାଇଁ ପ୍ରବର୍ତ୍ତାଇ ଥାନ୍ତି । ଏଥିନିମନ୍ତେ ସେ ନିଜ ଗାଁରେ ଏକ ଦୁର୍ନୀତି ବିରୋଧୀ ଯୁବ ସଂଗଠନ ଆରମ୍ଭ କରିଥିଲେ ଏବଂ ତାହା ମାଧ୍ୟମରେ ନିଜ ଗାଁରୁ ଦୁର୍ନୀତି ବିରୁଦ୍ଧରେ ଲଢେ଼ଇ ଆରମ୍ଭ କରିଥିଲେ । ପ୍ରଥମ ଅଭିଯୋଗ ରେ ୧୩ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅନ୍ଧକାର ରେ ଥିବା ୧୯୮ ଟି ବିପିଏଲ ପରିବାରକୁ ମିଳିଲା ମାଗଣା ବିଦ୍ୟୁତ ସଂଯୋଗ ଯେଉଁଥିପାଇଁ ଲଗାଗଲା ୪ ଟି ନୂତନ ଟ୍ରାନ୍ସଫରମର ।ଏହି ସଫଳତା ଦିବସଙ୍କର ଆତ୍ମବିଶ୍ବାସ କୁ ଦ୍ବିଗୁଣିତ କରିଥିଲା ତାପରେ ସେ ଆଉ ପଛକୁ ଫେରିନଥିଲେ । ନିଜ ଗାଁରେ ରାସ୍ତାଘାଟ ସମସ୍ୟା ହେଉ,ଷ୍ଟ୍ରିଟ ଲାଇଟ ହେଉ ଅବା ପାନୀୟ ଜଳ ସମସ୍ୟା ହେଉ ସବୁଜିନିଷର ସମାଧାନ ପାଇଁ ଲଢ଼ିପଡିଲେ ଏବଂ ସଫଳତା ମଧ୍ୟ ପାଇଲେ ।ଅବଶ୍ୟ ଏଥିପାଇଁ କିଛି ଦୁର୍ନିତିଖୋର ଲୋକେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଆରମ୍ଭ କରିଦେଇଥିଲେ । କିନ୍ତୁ ଏହାକୁ ଖାତିର ନ କରି ଆଗକୁ ବଢିଚାଲିଲେ ଦିବସ ।

ପରେ ନିଜ ବିଜେପୁର ବ୍ଲକର ଅନେକ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ସଫଳତା ହାସଲ କଲେ ।ପରେ ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକର ସମସ୍ୟାର ସମାଧାନ କରିବା ପାଇଁ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପ ମଧ୍ୟ ଗଠନ କରିଥିଲେ । ଧୀରେ ଧୀରେ ଏହା ବରଗଡ଼ ଜିଲ୍ଲା ଭିତରେ ସୀମିତ ନ ରହି ବଲାଙ୍ଗୀର ଜିଲ୍ଲାକୁ ବି ବ୍ୟାପିଲା ସେଠାରେ ଅନେକ ବ୍ଲକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଲାଗିଲେ ଦିବସ ଯେଉଁଥିପାଇଁ ବଲାଙ୍ଗୀର ଜିଲ୍ଲାର କିଛି ସ୍ବେଚ୍ଛାସେବୀ ତଥା କୋଶଳ ସଂଗ୍ରାମୀ ମାନଙ୍କ ସହାୟତା ଏବଂ ମିଳିତ ଉଦ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ହେବାକୁ ଲାଗିଲା । ତାଙ୍କଠାରୁ ଅନୁପ୍ରାଣିତ ହୋଇ ଅନେକ ସଂଗ୍ରାମୀ ମାନେ ଅନୁରୂପ ଭାବେ ନିଜ ଅଞ୍ଚଳର ଉନ୍ନତି ପାଇଁ ଲାଗିପଡ଼ିଲେ । ଧୀରେ ଧୀରେ ଏହି ଦଳ ଅନ୍ୟ ଜିଲ୍ଲା ମାନଙ୍କରେ କାମ କରିବାକୁ ଲାଗିଲା । କିଛି ବର୍ଷ ମଧ୍ୟରେ ଦିବସ ଏବଂ ତାଙ୍କ ବନ୍ଧୁମାନଙ୍କ ମିଳିତ ଉଦ୍ୟମରେ ହଜାର ହଜାର ସମସ୍ୟାର ସମାଧାନ ହେଇସାରିଛି । ଲୋକେ ସଚେତନ ହେବାକୁ ଲାଗିଛନ୍ତି ଏବଂ କହିବାକୁ ଗଲେ ପଶ୍ଚିମ ଓଡ଼ିଶାର ବିକାଶ ତ୍ୱରାନ୍ୱିତ ହୋଇଛି ।ଦିବସଙ୍କ ଏହି ନିଃସ୍ୱାର୍ଥପର  ସେବା ମନୋଭାବ, ଦୃଢ଼ ସଂକଳ୍ପ ତଥା ସାହାସିକତା ଯୋଗୁଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ କୋଟି ଅନୁଦାନ ଆସିପାରିଛି ।


 ୨୦୨୦ କରୋନା ମହାମାରୀ ସମୟରେ ଦିବସ ନିଜକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାର ଖାସ କରି ପଶ୍ଚିମ ଓଡ଼ିଶାର ଶ୍ରମିକ ମାନଙ୍କ ପାଇଁ ଉତ୍ସର୍ଗୀକୃତ କରିଦେଇଥିଲେ  ।ସେ ପାଖାପାଖି ୨୦ ଟି ରାଜ୍ୟର ସରକାର ଙ୍କ ସମ୍ପର୍କରେ ଥାଇ ପାଖାପାଖି ୭ ହଜାର ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରାଇ ଆଣିବାରେ ସକ୍ଷମ ହୋଇପାରିଛନ୍ତି ।ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ସଂଗଠନ ମାନଙ୍କ ତରଫରୁ ତାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି ।ପଶ୍ଚିମ ଓଡିଶାର ଅବହେଳିତ ଶ୍ରମିକ ମାନଙ୍କ ପାଇଁ ସେ ପ୍ରତି ମୁହୂର୍ତ୍ତରେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରି ଆସୁଛନ୍ତି ।ସେଥିପାଇଁ ତାଙ୍କୁ ପ୍ରବାସୀଙ୍କ ହେଲ୍ପଲାଇନ ମଧ୍ୟ କୁହାଯାଏ । ପଶ୍ଚିମ ଓଡ଼ିଶାର ଅନେକ ରୋଗିମାନଙ୍କ ପାଇଁ ସେ ଦରଦୀ ବନ୍ଧୁ ସାଜି  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲାଭ ନ ପାଇ ହଇରାଣ ହେଇଥିବା ରୋଗୀମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ଯୋଗେଇଦେବା ନିମନ୍ତେ ସଂଗ୍ରାମ କରି ଆସୁଛନ୍ତି । ତାଙ୍କୁ ଯେ କୌଣସି ଅସହାୟ ବ୍ୟକ୍ତି ଗୋଟିଏ ଫୋନ କଲ କଲା ମାତ୍ରେ ଅସହାୟ ଲୋକମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ସାହସ ଏବଂ ଆତ୍ମବିଶ୍ବାସ ପ୍ରଦାନ କରିଥାନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦୁର୍ନୀତି ବିରୋଧରେ ରଣହୁଙ୍କାର ଦେଇ ସରକାର ଙ୍କୁ ଦୁର୍ନିତିଖୋର ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଧ୍ୟ କରିଆସୁଛନ୍ତି ।

ଏସବୁ କରିବା ଭିତରେ ନିଜ ବୃତ୍ତିକୁ କେବେହେଲେ ଅବହେଳା କରିନାହାନ୍ତି । ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜ କର୍ତ୍ତବ୍ୟ ନିର୍ବାହ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ତଥା ଉତ୍ତମ ଶିକ୍ଷା ପ୍ରଦାନ କରି ଏକ ସୁସ୍ଥ ସମାଜ ଗଠନ ପାଇଁ ସଦାସର୍ବଦା ଚେଷ୍ଟା କରିଆସୁଛନ୍ତି ।ସେ ସବୁବେଳେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନିଃସ୍ୱାର୍ଥପର ସେବା ମନୋଭାବ ସୃଷ୍ଟି କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।ନିଶ୍ଚିତ ଭାବରେ ପଶ୍ଚିମ ଓଡ଼ିଶାର ବିକାଶ ନିମନ୍ତେ ତାଙ୍କର ଅବଦାନ ଅତୁଳନୀୟ ଅଟେ

ଆଜି ତାଙ୍କ ଜନ୍ମଦିନ ଅବସରରେ ବିଏନଏସ ପରିବାର ତରଫରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛୁ

Advertisement

Leave a Reply

Your email address will not be published. Required fields are marked *

error: Content is protected !!