ସାମ୍ବାଦିକଙ୍କୁ ଅତିରିକ୍ତ ଏସ୍‌ପିଙ୍କ ମାଡ , ପ୍ରତିବାଦରେ ଥାନା ଆଗରେ ଧାରଣାରେ ସାମ୍ବାଦିକ

ନବରଙ୍ଗପୁର -: ଥାନାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତିରିକ୍ତ ଏସପିଙ୍କ ମାଡ। ପ୍ରତିବାଦରେ ଥାନା ଆଗରେ ଧାରଣାରେ ସାମ୍ବାଦିକ। ଦିନ ଦିପହରରେ ଜଣେ ମହିଳାଙ୍କୁ ଟଣା ଓଟୋରା କରି ଘରୁ ଉଠାଇ ନିଆଗଲା। ପୁଲିସକୁ ପରିବାର ଖବର ଦେବା ପରେ ମହିଳାଙ୍କୁ ମଇଦଲପୁର ନିକଟରୁ ଉଦ୍ଧାର କରାଯାଇ ଥାନାକୁ ଅଣାଗଲା। ଘଟଣା ସଂକ୍ରାନ୍ତରେ ଖବର ସଂଗ୍ରହ ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ଥାନାକୁ ଯାଇ ଅତିରିକ୍ତ ଏସପିଙ୍କ ମାଡର ଶିକାର ହେଲେ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ। ମିଳିଥିବା ସୂଚନା ଅନୁଯାୟୀ ବରଗଡ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ସହ ପାପଡାହାଣ୍ଡି ଅଞ୍ଚଳର ଜଣେ ଯୁବକଙ୍କ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ପ୍ରାୟ ୪୦ ଦିନ ହେବ ଉଭୟ ମହିଳା ଓ ପାପଡାହାଣ୍ଡିର ଯୁବକ ଫେରାର ଥିଲେ।

Advertisement

ଫେରାର ନେଇ ଉଭୟ ପୁଅ ଓ ଝିଅଙ୍କ ପରିବାର ଭିନ୍ନ ଭିନ୍ନ ଥାନାରେ ଏତଲା ଦେଇଥିଲେ। ଉଭୟ ପ୍ରେମୀଯୁଗଳ ଗତ ଅଗଷ୍ଟ ୧୩ରେ ନବରଙ୍ଗପୁର ଏସପିଙ୍କ ନିକଟରେ ଉଭୟ ପହଞ୍ଚି ସହମତି ଜଣାଇଥିଲେ । ପରେ ଏସ୍ଡ଼ିପିଓଙ୍କ ନିକଟରେ ମହିଳା ସହମତି ଜଣାଇ ପାପଡାହାଣ୍ଡିର ଉକ୍ତ ପୁଅ ଘରେ ରହୁଥିଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି । ଆଜି ମହିଳା ଜଣକ ଘରେ ଏକାକୀ ଥିବା ସମୟରେ ତାଙ୍କର କିଛି ସମ୍ପର୍କୀୟ ଆସି ତାଙ୍କୁ ଜୋରଜବରଦସ୍ତ ଟଣା ଓଟୋରା କରି ଘରୁ ନେଇଯାଇଥିଲେ। ଖବର ପାଇ ପରିବାର ଲୋକ ଥାନାରେ ଖବର ଦେବା ପରେ ଉକ୍ତ ମହିଳାଙ୍କୁ ମଇଦଲପୁର ଫାଣ୍ଡିରେ ଉଦ୍ଧାର କରାଯାଇ ମହିଳାଙ୍କୁ ରଖାଯାଇଥିଲା । ପରିସ୍ଥିତି ଦେଖି ମହିଳାଙ୍କ ପରିବାର ଫାଣ୍ଡିରୁ ଚମ୍ପଟ ମାରିଥିଲେ।

ପରେ ମହିଳାଙ୍କୁ ପାପଡାହାଣ୍ଡି ଥାନାକୁ ଅଣାଯାଇଥିଲା। ଏହି ସମୟରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ପୁଅଙ୍କ ପରିବାର ମହିଳାଙ୍କୁ ନିଜକୁ ଘରକୁ ନେବା ପାଇଁ ଜିଦ ଧରିଥିଲେ । ଉକ୍ତ ମହିଳା ବି ପୁଅର ଘରକୁ ଯିବା ପାଇଁ ରାଜି ହୋଇଥିଲେ। ପରେ ଏଏସପି ଜୟ କୃଷ୍ଣ ବେହେରା ପହଞ୍ଚି ମହିଳାଙ୍କୁ ଜୋର ବଳପୂର୍ବକ ଟଣାଓଟରା କରି ନେଇଥିବାର ଅଭିଯୋଗ ହୋଇଛି । ଉକ୍ତ ମହିଳାଙ୍କୁ ପୁଲିସ ଗାଡ଼ିରେ ବଳପୂର୍ବକ ନେବା ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଉକ୍ତ ମହିଳାଙ୍କୁ ନେବା ସମୟରେ ପାପଡାହାଣ୍ଡିର କିଛି ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଏଏସପି ଗଣମାଧ୍ୟମ ପ୍ରତିନିଧି ସୁମିତ ଘଣ୍ଟ, ପ୍ରବୀଣ ଶତନାମୀ ଓ ଓମପ୍ରକାଶ କରମଚାନ୍ଦ ଦାସଙ୍କୁ ବାଡ଼ିରେ ଆକ୍ରମଣ କରିଥିବାର ସାସାମ୍ବଦିକମାନେ ଅଭିଯୋଗ କରିଛନ୍ତି।  ସାମ୍ବାଦିକ ବୋଲି ପରିଚୟ ଦେବା ପରେ ବି ସେ ଅଶାଳୀନ ବ୍ୟବହାର ଦେଇ ଚାଲିଥିଲେ ବୋଲି ସାମ୍ବାଦିକମାନେ କହିଛନ୍ତି ।

ଘଟଣା ସମୟରେ ତମେ ସବୁ ପ୍ରତିବାଦ ଚଳାଇଛ ବୋଲି କହିଥିଲେ। ଜଣେ ମହିଳାକୁ ଠେଲା ପେଲା କରିଥିଲେ ବୋଲି ଦାବି ହୋଇଛି,  ଯାହାକୁ ନେଇ ଏହି ମହିଳାଙ୍କ ପରିବାର ପକ୍ଷରୁ ପ୍ରତିବାଦ ବି କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ହୋଇଥିବା ଖବର ପାଇ ଓୟୁଜେ ଜିଲ୍ଲା ସଭାପତି ସୁଶାନ୍ତ ବେହେରା ସହ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧୀ ମାନେ ଧାରଣା ଦେଇ ଥାନା ଆଗରେ ବସିଥିଲେ। ଖବର ପାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନେ ଥାନାରେ ପହଞ୍ଚି ସାମ୍ବାଦିକଙ୍କ ଧାରଣାରେ ସାମିଲ ହୋଇଥିଲେ। ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି। ପୁଲିସ ଜୁଲମ ଅଭିଯୋଗ କରି ସାମ୍ବାଦିକମାନେ ପ୍ରତିବାଦ କରିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ଧାରଣା ଚାଲୁ ରହିଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!