ଜଣେ ଶିଶୁ କଳାକାର ଭାବରେ ହିନ୍ଦୀ ସିନେମା ଓ ଧାରାବାହିକରେ ଅଭିନୟ ଆରମ୍ଭ କରି ଶେଷରେ ଦକ୍ଷିଣ ଭାରତୀୟ ଭାଷାର ଜଣେ ଆଗଧାଡ଼ିର ଅଭିନେତ୍ରୀ ହୋଇଥିବା ହଂସିକା ମତଵାନିଙ୍କ ଜୀବନଯାତ୍ରା ବେଶ ପ୍ରେରଣାଦାୟୀ। ପଚାଶରୁ ଅଧିକ ଚଳଚ୍ଚିତ୍ର ସାଙ୍ଗକୁ ସାତଟି ଟିଭି ଧାରାବାହିକରେ ଅଭିନୟ କରି ସେ ଦର୍ଶକମାନଙ୍କର ପ୍ରିୟପାତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏଥି ସହିତ ତିନି ଥର ଜାତୀୟ ସ୍ତରର ପୁରସ୍କାର ହାସଲ କରି ସେ ନିଜର ଶାଣିତ ଅଭିନୟର ପରାକାଷ୍ଠା ଦେଖାଇପାରିଛନ୍ତି। ମୁମ୍ବାଇରେ ୧୯୯୧ ଅଗଷ୍ଟ ୯ ତାରିଖରେ ଏକ ସିନ୍ଧି ହିନ୍ଦୁ ପରିବାରରେ ଜନ୍ମିତା ହଂସିକା ପରେ ନିଜକୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିଛନ୍ତି।
ତାଙ୍କୁ ମାତ୍ର ଦଶ ବର୍ଷ ବେଳେ ସେ ଟିଭି ଧାରାବାହିକ ‘ସାକା ଲାକା ବୁମ୍ ବୁମ୍’ରେ ପ୍ରଥମେ ଦେଖାଦେଇଥିଲେ। ଏହାପରେ ‘ଦେଶ ସେ ନିକଲା ହୋଗା ଚାନ୍ଦ’, ‘କ୍ୟୁଁ କି ସାସ୍ ଭି କଭି ବହୁ ଥି’ ଆଦି ଧାରାବାହିକରେ ଶିଶୁ ଚରିତ୍ର ନିଭାଇ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଫଳସ୍ବରୂପ, ୨୦୦୩ରେ ତାଙ୍କୁ ହିନ୍ଦୀ ଫିଲ୍ମ ‘କୋଇ… ମିଲ ଗୟା’ରେ ଜଣେ ଶିଶୁ କଳାକାରର ଭୂମିକା ମିଳିଥିଲା। ଆଉ ଚାରିଟି ହିନ୍ଦୀ ଫିଲ୍ମ ସମେତ କେତେକ ଟିଭି ଧାରାବାହିକରେ ଶିଶୁ ଚରିତ୍ରରେ ଅଭିନୟ କରି ସେ ଜଣେ ଚିହ୍ନା ମୁହଁ ପାଲଟିଯାଇଥିଲେ। ତେବେ ଜଣେ ନାୟିକା ଭାବରେ ଫିଲ୍ମ ଜଗତ୍କୁ ପ୍ରଥମ ପ୍ରବେଶ ହୋଇଥିଲା ୨୦୦୭ ମସିହାରେ ତେଲୁଗୁ ଫିଲ୍ମ ‘ଦେଶମୁଦୁରୁ’ ଜରିଆରେ। ତାହା ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଭାବେ ଫିଲ୍ମଫେୟାର ସମ୍ମାନ (ଦକ୍ଷିଣ) ମିଳିଥିଲା। ସେହିବର୍ଷ ହିନ୍ଦୀ ସିନେମା ‘ଆପ କା ସୂରୁର’ ମାଧ୍ୟମରେ ମଧ୍ୟ ଆଶାନୁରୂପ ଲୋକପ୍ରିୟତା ପାଇଥିଲେ।

ହିନ୍ଦୀରେ ଭଲ ସୁଯୋଗ ନ ମିଳିବାରୁ ସେ ୨୦୦୮ରେ ଜୀବନର ପ୍ରଥମ ଓ ଏକମାତ୍ର କନ୍ନଡ଼ ଫିଲ୍ମ ‘ବିନଦାସ’ରେ ଅଭିନୟ କରିଥିଲେ। ଏହାପରେ ତେଲୁଗୁ ଫିଲ୍ମ ‘କାନ୍ତ୍ରି’ ତାଙ୍କ ପାଇଁ ପୁଣି ସଫଳ ସାବ୍ୟସ୍ତ ହୋଇଥିଲା। ସେହିପରି ୨୦୧୧ରେ ତାମିଲ ଫିଲ୍ମ ‘ମାପିଲାଇ’ରେ ତାଙ୍କ ପ୍ରଥମ ପଦାର୍ପଣ ଉଚ୍ଚକୋଟୀର ହେବା ସହ ପରବର୍ତ୍ତୀ ତାମିଲ ସିନେମା ‘ଏଙ୍ଗେୟୁମ୍ କନ୍ଧାଲ’ ମଧ୍ୟ ଢେର ଲୋକପ୍ରିୟ ହୋଇପାରିଥିଲା। ଏହାପରେ ସେ ନିରନ୍ତର ଭାବେ ତାମିଲ ଓ ତେଲୁଗୁ ଭାଷାର ସଂଖ୍ୟାଧିକ ଫିଲ୍ମରେ ବହୁବିଧ ଚରିତ୍ରରେ ଆବିର୍ଭାବ ହୋଇ ଦର୍ଶକମାନଙ୍କ ମନ କିଣି ନେଇଥିଲେ। ସେହିପରି ୨୦୧୭ରେ ତାଙ୍କର ପ୍ରଥମ ମାଲାୟଲୀ ଫିଲ୍ମ ‘ଭିଲେନ୍’ ମୁକ୍ତିଲାଭ କରିଥିଲା। ମହାମାରୀ କୋଭିଡ୍ ପାଇଁ ଦୀର୍ଘ ଦୁଇ ବର୍ଷ କାଳ ତାଙ୍କ ହାତ ଖାଲି ଥିବା ବେଳେ ଚଳିତବର୍ଷ ତାଙ୍କର ୫ଟି ତାମିଲ ଫିଲ୍ମ ଓ ଦୁଇଟି ତେଲୁଗୁ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି।