ଅଟୋ ଓ ଉଠାଦୋକାନିଙ୍କ କବଜାରେ କଲେଜ ଛକ, ଅପାରଗ ସିଏମସି …

କଟକ -: କଲେଜ ଛକରେ ଅଟୋ ପାର୍କିଂ ପାଇଁ ଗୋଟିଏ ବି ସ୍ଥାନ କମିସନରେଟ୍ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇନାହିଁ । ପୋଷ୍ଟ୍ ଅଫିସ ନିକଟରେ ଏକକାଳୀନ ୧୫ଟି ଅଟୋ ରହିବା ପାଇଁ ଗୋଟିଏ ଷ୍ଟାଣ୍ଡ କରିବାକୁ ଗଲା ୩ ମାସ ତଳେ ଟ୍ରାଫିକ୍ ମ୍ୟାନେଜମେଣ୍ଟ କମିଟି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ।

କିନ୍ତୁ ସିଏମ୍‌ସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନଥିବାରୁ ବାଦାମବାଡ଼ି ପରେ କଲେଜ ଛକ କଟକ ସହରରେ ସବୁଠାରୁ ଅଧିକ ବେଆଇନ୍ ପାର୍କିଂ ଅଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି । କଟକ ରେଳଷ୍ଟେସନରେ ୨୧୦ଟି ପ୍ରିପେଡ୍ ଅଟୋ ପାଇଁ ଦୁଇଟି ଷ୍ଟାଣ୍ଡ୍ ରହିଛି । ଅନ୍ୟ ଅଟୋଗୁଡ଼ିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଚେରିପାର୍ଶ୍ୱରେ ଧାଡ଼ି କରି ମୁଖ୍ୟ ଗେଟ୍ ଯାଏ ପାର୍କିଂ କରୁଛନ୍ତି । ଏଠି କମିସନରେଟ୍ ପୁଲିସ ପକ୍ଷରୁ ‘ନୋ ପାର୍କିଂ’ ବୋର୍ଡ ଲଗାଯାଇଥିଲେ ସୁଦ୍ଧା ସେଠାରେ ମାଳ ମାଳ ଗାଡ଼ି ପାର୍କିଂ କରୁଛନ୍ତି । ସେହିଭଳି ସୁଭାଷ ବୋଷ ପ୍ରତିମୂର୍ତ୍ତି ନିକଟରେ ଛକ ମଝିରେ ଘଣ୍ଟା ଘଣ୍ଟା ଅଟୋ ବେଆଇନ ପାର୍କିଂ କରୁଛନ୍ତି ।

Advertisement

କଲେଜ ଛକରୁ ଷ୍ଟେସନବଜାର ରାସ୍ତାରେ ବି ଅବସ୍ଥା ସମାନ । ରାସ୍ତାର ଦୁଇପାର୍ଶ୍ୱରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଅଟୋ ଚାଳକମାନେ ରାସ୍ତାକୁ ଜବରଦଖଲ କରିନେଇଛନ୍ତି । ପୋଷ୍ଟ୍ ଅଫିସ ନିକଟରୁ ବମ୍ବେ ହୋଟେଲ ଯାଏ ରାସ୍ତାର ଦୁଇପଟେ ବି ଗାଡ଼ି ପାର୍କିଂ କରିଛନ୍ତି । ବମ୍ବେ ହୋଟେଲରୁ କଲେଜଛକ ଟ୍ରାଫିକ ଯାଏ ରାସ୍ତା ଦୁଇପଟ ଜବରଦଖଲ ହୋଇଛି । ରାଣୀହାଟ ପୋଲ ନିକଟରୁ କଲେଜଛକ ଟ୍ରାଫିକ୍ ଯାଏ ରାସ୍ତାର ବାମପଟେ ପ୍ଲାଷ୍ଟିକ୍ ବ୍ୟବସାୟୀମାନେ ରାସ୍ତାର ଅଧା ଅଞ୍ଚଳକୁ ଜବରଦଖଲ କରିନେଇଛନ୍ତି । ସୁଭାଷ ବୋଷ ପ୍ରତିମୂର୍ତ୍ତି ନିକଟରୁ ଓଏମ୍‌ପି ଆଡ଼କୁ ଯାଇଥିବା ରାସ୍ତାର ବାମପଟେ ଲୁହା ବ୍ୟବସାୟୀମାନେ ରାସ୍ତା ଉପରେ ଲୁହା ସାମଗ୍ରୀ ଠୁଳ କରି ବ୍ୟବସାୟ କରୁଥିବା ବେଳେ ବାଇକ୍ ପାର୍କିଂ ବି ହୋଇଛି

। ଅଧାରାସ୍ତା ଜବରଦଖଲ ହୋଇପଡ଼ିଛି । ତେଣୁ ସକାଳ ଓ ସନ୍ଧ୍ୟା ସମୟରେ କଲେଜଛକ ଟ୍ରାଫିକ୍ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ୁଛି । ଏଥିପ୍ରତି ଟ୍ରାଫିକ୍ ପୁଲିସ କି ପ୍ରକାର ପଦେକ୍ଷପ ଗ୍ରହଣ କରୁଛି? ସ୍ଥାୟୀ ଅଟୋ ଷ୍ଟାଣ୍ଡ କାହିଁକି ଚିହ୍ନଟ ହେଉନାହିଁ? ବ୍ୟବସାୟୀମାନେ ରାସ୍ତାକୁ ଜବରଦଖଲ କରିଥିବାରୁ ଏମାନଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ ହେଉନାହିଁ? ବୋଲି ପ୍ରଶ୍ନ ଉଠୁଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!